କାମାକ୍ଷାନଗରରେ ଭୁଶୁଡ଼ିଲା ୩କୋଟି ଟଙ୍କାର ଡ୍ୟାମ

ଅର୍ଗସ ବ୍ୟୁରୋ: ଯୁଆଡେ ଦେଖ ସିଆଡେ ଦୁର୍ନୀତି। ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିକାଶର ସଫଳ ରୁପାୟନ ହୋଇପାରୁନି। ଯାହାର ଫଳ ସ୍ବରୁପ କେଉଁଠି ରାସ୍ତା ଦବୁଛି ତ ଆଉ କେଉଁଠି ପୋଲ ଭୁଶୁଡ଼ୁଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ରେକୁଳା ଗାଁ ରାମିଆଳ ନଦୀରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡ୍ୟାମଟି ଭୁଶୁଡି ଯାଇଛି। ନଦୀର ଡ୍ୟାମରେ ଏକ ବିରାଟକାୟ ଘଳିଆ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଦୁଇ ସାଇଡ ଟୋ-ୱାଲ୍ ଗୁଡିକ ମଧ୍ୟ ଭୁଶୁଡି ପଡିଛି । ଯାହା ଫଳରେ ରାମିଆଳ ନଦୀରେ ଜଳପତ୍ତନ ସମ୍ପୂର୍ଣ୍ଣ ହ୍ରାସ ପାଇଛି। ଏହା ଦ୍ଵାରା କାମାକ୍ଷାନଗର ଏନଏସିରେ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଏନଏସିର ୧୫ ଗୋଟି ୱାର୍ଡର ବାସୀନ୍ଦା ନଦୀ ଜଳ ଉପରେ ନିର୍ଭର କରି ଆସୁଛନ୍ତି। ରାମିଆଳ ନଦୀରୁ ଏନଏସିର ଘରକୁ ଘର ପାନୀୟ ଜଳ ଯୋଗାଣ ହେଉଥିବା ଜଣାପଡିଛି । ଯାହାକୁ ନେଇ ଏବେ ଚିନ୍ତାରେ ଏନଏସି ବାସୀନ୍ଦ। ଏନେଇ ଜିଲ୍ଲା ପୂର୍ତ୍ତ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳ ପରିଦର୍ଶନ କରି ଆସିଛନ୍ତି । ତେବେ ୨୦୧୯-୨୦୨୦ ମସିହାରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଡ୍ୟାମଟି ଭୁଶୁଡି ଯିବା ଯୋଗୁଁ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏପରି ଘଟଣା ସାମ୍ନାକୁ ଆସିଛି । ଏ ନେଇ ସ୍ଥାନୀୟ ଠିକାଦାର ମୁହଁ ଖୋଲି ନଥିବା ବେଳେ ଘଟଣାଟିର ତଦନ୍ତ ଚାଲିଥିବା କହିଛନ୍ତି ବିଭାଗୀୟ ଅଧିକାରୀ ।
ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ପୂର୍ତ୍ତ ବିଭାଗର ଟାଣୁଆ ମନ୍ତ୍ରୀ । ହେଲେ ନିଜ ଘରେ ଆଜି ପାନୀୟ ଜଳ ପାଇଁ ଲୋକେ ହାହାକାର । ପୂର୍ତ୍ତ ବିଭାଗର ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଆଜି ଭୁଶୁଡି ପଡିଛି ଡ୍ୟାମ । ନିମ୍ନ ମାନର କାର୍ଯ୍ୟର ଏ ହେଉଛି ଜ୍ୱଳନ୍ତ ଉଦାହରଣ । ପ୍ରକଳ୍ପ ନାଁରେ ହରିଲୁଟ କରିଛନ୍ତି ବିଭାଗୀୟ ଅଧିକାରୀ ଓ ଠିକାଦାର । ଏଥିରେ ବାବୁ ପ୍ରଫୁଲ୍ଲଙ୍କ ଭାଗ ମଧ୍ୟ ରହିଛି। ଯାହାକୁ ନେଇ କାମାକ୍ଷାନଗର ଜନତା ଜନାର୍ଦ୍ଦନ ଅସନ୍ତୋଷ ପ୍ରକାଶ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ହେଲେ ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏ ହେଉଛି ପିସି ମିଶି ଖାଇବାର ନିଆରା ତରିକା । ଥରେ ପ୍ରକଳ୍ପ ତିଆରି ହେଲେ ବିଭାଗୀୟ ଯନ୍ତ୍ରୀ ମନ୍ତ୍ରୀଙ୍କ କୌଣସି ଦେଖା ମିଳି ନଥାଏ । ଆଉ ଯେତେବେଳେ ଦୁର୍ନୀତି ସାମ୍ନାକୁ ଆସେ ସେତେବେଳେ ବିଭିନ୍ନ ବାହାନା କରି ସଫେଇ ଦିଅନ୍ତି । ଘରକୁ ଘର ପାନୀୟ ଜଳ ଯୋଗାଣରେ କେତେବଡ଼ ପଦକ୍ଷେପ ତାହା ଏଥିରୁ ସ୍ପଷ୍ଟ ଅନୁମେୟ।
ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ଗଡରେ ଆଜି ଭୁଶୁଡି ଯାଇଛି ପୂର୍ତ୍ତ ବିଭାଗ ପ୍ରକଳ୍ପ । ପାନୀୟ ଜଳ ପାଇଁ ହନ୍ତ ସନ୍ତ ହେଉଛନ୍ତି ହଜାର ହଜାର ସଂଖ୍ୟକ ଲୋକ । ଏଥିପ୍ରତି ଦାୟୀ କିଏ ମାନ୍ୟବର ମୁଖ୍ୟମନ୍ତ୍ରୀ ନା ୫-ଟି ଅଧ୍ୟକ୍ଷ। ଏ ଦୁର୍ନୀତି ପ୍ରତି ଜନତା ଜନାର୍ଦ୍ଦନଙ୍କ ଉତ୍ତର ଦେବେ କି ରାଜ୍ୟ ସରକାର? ତେବେ ଏ ନେଇ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହାକୁ ହିଁ ଅପେକ୍ଷା
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର