Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସିରଗଡ ଦୁର୍ଗରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

National

ଆସିରଗଡ ଦୁର୍ଗରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
ଆସିରଗଡ ଦୁର୍ଗରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ମଧ୍ୟପ୍ରଦେଶର ଆସିରଗଡ ଦୁର୍ଗରେ ଦେଶର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ତାଙ୍କର ସହଯୋଗୀ ମାନଙ୍କ ସ୍ମୃତିରେ ଏକ ସ୍ମାରକୀ ସ୍ଥାପନା କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରିବାକୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବ୍ରିଟିଶ ଶାସନ ବିରୋଧରେ ସମ୍ବଲପୁର ବିଦ୍ରୋହର ନେତୃତ୍ୱ ନେଇଥିବା ବୀର ସୁରେନ୍ଦ୍ର ସାଏ ଏବଂ ଅନେକ ସଂଗ୍ରାମୀ ମାନଙ୍କର ଆସିରଗଡ ଦୁର୍ଗ ସହ ଗଭୀର ସମ୍ପର୍କ ରହିଛି । ୧୮୫୭ ମସିହା ବିଦ୍ରୋହରେ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀମାନେ ଦେଶକୁ ସ୍ୱାଧୀନତା ଦେବା ପାଇଁ ଜାତୀୟ ଆନ୍ଦୋଳନରେ ଭାଗ ନେଇ ଇଂରେଜ ମାନଙ୍କ ସହ ବୀରତ୍ୱର ସହ ଲଢ଼ି ବଳିଦାନ ଦେଇଥିଲେ । 

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସମ୍ବଲପୁରରେ ସୁରେନ୍ଦ୍ର ସାଏଙ୍କ ୧୮୨୭ ରୁ ୧୮୪୦ ଏବଂ ୧୮୫୭ରୁ ୧୮୬୨ ପର୍ଯ୍ୟନ୍ତ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଓଡ଼ିଶାର ପ୍ରତିରୋଧ ଆନ୍ଦୋଳନ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା । ଯେତେବେଳେ ୧୮୪୯ ମସିହାରେ ସମ୍ବଲପୁରକୁ ଇଂରେଜମାନେ "ଡକ୍ଟ୍ରିନ ଅଫ୍ ଲାପସ୍" ଅଧୀନରେ ଦଖଲ କରିଥିଲେ ସେତେବେଳେ ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ । ୧୮୫୭ ମସିହାରେ ସମ୍ବଲପୁରର ବିଦ୍ରୋହ ମୁଖ୍ୟତଃ ଏକ ଜନଜାତି ବିଦ୍ରୋହ ଥିଲା ଯେଉଁଥିରେ ଘେଁସ, କୋଲାବିରା, ପାହାଡ଼ଶ୍ରୀଗିଡ଼ା, ମଚିଦା, କୁଡ଼ାବଗା, ଲଇଡା, ଲୋଇସିଂହ, ଲଖନପୁର, ଭେଡେନ, ପାଟକୁଲୁଣ୍ଡା ଆଦି ଜମିଦାର ଏବଂ ତାଙ୍କ ପରିବାର ସୁରେନ୍ଦ୍ର ସାଏଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିଲେ । ଏହି ସମର୍ଥକମାନେ ୧୮୫୭ରୁ ୧୮୬୨ ପର୍ଯ୍ୟନ୍ତ ଗରିଲା ଯୁଦ୍ଧ ମାଧ୍ୟମରେ ଇଂରେଜମାନଙ୍କ ସହ ଲଢ଼େଇ କରିଥିଲେ । ସେମାନେ ଏହି ଅଞ୍ଚଳର ଜନଜାତି ଓ ଜମିଦାରମାନଙ୍କୁ ଏକାଠି କରିଥିଲେ ଏବଂ ଗରିଲା ଯୁଦ୍ଧ କୌଶଳ ବ୍ୟବହାର କରି ବ୍ରିଟିଶ ସେନା ବିରୋଧରେ ଲଢ଼େଇ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର

ବୀର ସୁରେନ୍ଦ୍ର ସାଏ, ତାଙ୍କୁ ସୁପୁତ୍ର ମିତ୍ରଭାନୁ ସାଏ, ଉଦନ୍ତ ସାଏ, ଧ୍ରୁବ ସାଏ ଓ ମେଦିନୀ ସାଏ ଆସିରଗଡ ଦୁର୍ଗରେ ଜେଲ୍ ଦଣ୍ଡାଦେଶ ଭୋଗିଥିଲେ । ପରେ ଲଖନପୁର ଜମିଦାର ପରିବାରର ଖଗେଶ୍ୱର ସିଂହ ଦାଉ ଏବଂ ରମ୍ପେଲାର ଲୋକନାଥ ପଣ୍ଡାଙ୍କୁ ୧୮୬୫ ଜୁନ ୮ରେ ଆସିରଗଡ ଜେଲକୁ ନିଆଯାଇଥିଲା । ଲଖନପୁରର କମଳ ସିଂ ଦାଉଙ୍କୁ ୧୮୬୬ରେ ଆସିରଗଡକୁ ପଠାଯାଇଥିଲା । ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଉଦନ୍ତ ସାଏ ଜେଲରେ ୪୭ ବର୍ଷ ବନ୍ଦୀ ଭାବରେ ଜୀବନ କାଟିଥିଲେ ଏବଂ ୧୮୯୪ ଜାନୁଆରୀ ମାସରେ ମୃତ୍ୟବରଣ କରିଥିଲେ । ସେ ବନ୍ଦୀ ମାନଙ୍କ ମଧ୍ୟରେ ଜେଲରେ ଅଧିକ ସମୟ କାଟିଥିଲେ । ବୀର ସୁରେନ୍ଦ୍ର ସାଏ ଦୀର୍ଘ ୩୭ ବର୍ଷ ଜେଲରେ ରହିଥିଲେ ଏବଂ ୧୮୮୪ ମସିହା ୨୮ ଫେବୃୟାରୀରେ ଆସିରଗଡ ଜେଲରେ ମୃତ୍ୟୁବରଣ କରିଥିଲେ ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଇତିହାସ ପୃଷ୍ଠାରେ ଅନାଲୋଚିତ ଏହିଭଳି ଜନଜାତି ସଂଗ୍ରାମୀଙ୍କ ବୀରଗାଥା ଓ ସାହସକୁ ସମ୍ମାନ ଏବଂ ଶ୍ରଦ୍ଧାଞ୍ଜଳି ଦେବା ଦିଗରେ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି । ବୀର ସୁରେନ୍ଦ୍ର ସାଏ ଆସିରଗଡ ଦୁର୍ଗରେ ଶେଷ ଜୀବନ କାଟିଥିଲେ । ଏହାକୁ ବିଶେଷ ଧ୍ୟାନରେ ରଖି ଆସିରଗଡ ଦୁର୍ଗରେ ସୁରେନ୍ଦ୍ର ସାଏଙ୍କ ବୀରତ୍ୱକୁ ପ୍ରତିଫଳିତ କରୁଥିବା ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ତାଙ୍କର ସହଯୋଗୀ ମାନଙ୍କ ସ୍ମୃତିରେ ଏକ ସ୍ମାରକୀ ନିର୍ମାଣ କରିବା ପାଇଁ ଓଡ଼ିଶାବାସୀଙ୍କ ତରଫରୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏ ନେଇ ବ୍ୟକ୍ତିଗତ ସ୍ତରରେ ପ୍ରସ୍ତାବକୁ ଦେଖିବା ସହ ପଦକ୍ଷେପ ନେବା ପାଇଁ ଶ୍ରୀ ପ୍ରଧାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Sponsored
Union Minister's letter to the Chief Minister of Madhya Pradesh | Argus English