କରୋନାର ଜେଏନ.୧ ଉପରେ ସରକାର ଦେଲେ ତଥ୍ୟ...

ଅର୍ଗସ ବ୍ୟୁରୋ: ପୁଣି କାୟା ମେଲାଇଲାଣି କରୋନା। କରୋନାର ସବ ଭାରିଆଣ୍ଟ ଜେଏନ.୧ କେସ୍ ଦ୍ରୁତଗତିରେ ବଢ଼ିଚାଲିଛି। ସାଧାରଣ ଲୋକେ ଭୟଭୀତ। କଣ ହେବ ପରିସ୍ଥିତି ? କଣ ବୁଷ୍ଟର ଡୋଜ ନେବାକୁ ହେବ ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି। ୪ ହଜାର ପାର କଲାଣି କୋଭିଡ ଆକ୍ଟିଭ କେସ୍। ନୂଆ ୩୧୨ କୋଭିଡ ସଂକ୍ରମିତଙ୍କୁ ମିଶାଇ ଦେଶରେ କରୋନା ମାମଲା ୪,୦୫୪ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ମୃତକ ହେଉଛନ୍ତି କେରଳର। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ କୋଭିଡ ସବ ଭାରିଆଣ୍ଟ ଜେଏନ.୧ କେସ୍ ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି।
ଭାରତରେ କରୋନା ଭାଇରସ ମାମଲାରେ ଦିନକୁ ଦିନ ବଢ଼ି ଚାଲିଛି। ଦୁନିଆ ସାରା ଭୟର ବାତାବରଣ ସୃଷ୍ଟି କରିଥିବା କରୋନା ଭାଇରସର ନୂଆ ସବ ଭାରିଏଣ୍ଟ ଜେଏନ୍-୧ ର ଏଣ୍ଟ୍ରି ଭାରତରେ ହୋଇସାରିଛି। କେରଳରେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଗୋଆ ଏବଂ ମହାରାଷ୍ଟ୍ର ସହ ଅନେକ ରାଜ୍ୟରେ ଏହି ମାମଲାରେ ହୁତୁହୁତୁ ହୋଇ ବଢ଼ି ଚାଲିଛି। ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ରାଜ୍ୟସରକାରଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାର ଏହାକୁ ନେଇ ସ୍ପଷ୍ଟ କରିଛନ୍ତି କି ଯେ, ବର୍ତ୍ତମାନ ବୁଷ୍ଟର ଡୋଜ ବା ଚତୁର୍ଥ ଭ୍ୟାକସିନ୍ ନେବାର କୌଣସି ଆବଶ୍ୟକତା ନାହିଁ। ଭାରତର ଆଇଏନଏସଏସିଓଜିର ପ୍ରମୁଖ ଏନ.କେ ଅରୋଡା କହିଛନ୍ତି ଯେ, ନୂଆ ସବ ଭାରିଏଣ୍ଟ ଆସିବା ପରେ କରୋନା ଭ୍ୟାକସିନ୍ ର ବୁଷ୍ଟର ଡୋଜର କୌଣସି ଆବଶ୍ୟକତା ନାହିଁ। ଏହାସହ ସେ ଏହା ମଧ୍ୟ କରିଛନ୍ତି ଯେ, ୬୦ ବର୍ଷରୁ ଅଧିକ ବୟସର ଲୋକ ଯେଉଁମାନେ ବିଭିନ୍ନ ରୋଗରେ ପୀଡିତ ସେମାନେ ତୃତୀୟ ଡୋଜ ନେଇପାରିବେ। ଯଦି ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଡୋଜ ନେଇନଥିବେ। ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ଚତୁର୍ଥ ଡୋଜର କୌଣସି ଆବଶ୍ୟକତା ନାହିଁ। ତେଣୁ ଡରିବାର ବି କୌଣସି ଆବଶ୍ୟକତା ନାହିଁ।
📱 Get Argus News App
✨
ଅଧିକ ପଢ଼ନ୍ତୁ ଦେଶ ଖବର: