ବିଜେପି ସଂସଦୀୟ ବୋର୍ଡ ବୈଠକରେ ବିରୋଧୀଙ୍କ ଉପରେ ମୋଦି ଷ୍ଟ୍ରାଇକ୍
ଅର୍ଗସ ବ୍ୟୁରୋ: ଭାରତୀୟ ସଂସଦ ଇତିହାସରେ ଆଉ ଏକ ସ୍ପର୍ଶକାତର ଘଟଣା ଘଟିଲା। କିନ୍ତୁ ଏହି ସମ୍ବେଦନଶୀଳ ପ୍ରସଙ୍ଗ ନେଇ ରାଜନୀତି କରୁଛନ୍ତି ବିରୋଧୀ ଦଳ। ଅଯଥାରେ ହଙ୍ଗାମା କରି ସଂସଦ ଚଳାଇ ଦେଉନାହାନ୍ତି। ଏହାକୁ ନେଇ ବିରୋଧୀ ଦଳଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ। ବିଜେପି ସଂସଦୀୟ ବୋର୍ଡ ବୈଠକରେ ମୋଦି କହିଛନ୍ତି ନିକଟରେ ବିଧାନସଭା ନିର୍ବାଚନରେ ପରାଜୟ ପରେ ହତାଶ ହୋଇପଡ଼ିଛନ୍ତି ବିରୋଧୀ। ଏଥିପାଇଁ ସଂସଦକୁ ଅଚଳ କରିବାକୁ ଚେଷ୍ଟା କରୁଛନ୍ତି। ସଂସଦରେ ଘଟିଥିଲା ଘଟଣାକୁ ଗଣତନ୍ତ୍ରରେ ବିଶ୍ବାସ ରଖୁଥିବା କେହି ବି ସ୍ବୀକାର କରିବେ ନାହିଁ। ଏହାକୁ କଡ଼ା ନିନ୍ଦା କରାଯିବା ଦରକାର। କିନ୍ତୁ ଦୁର୍ଭାଗ୍ୟର କଥା ବିରୋଧୀ ନିଜ ହତାଶାର ପ୍ରଦର୍ଶନ ପାଇଁ ଏହାକୁ ରାଜନୈତିକ ରଙ୍ଗ ଦେଉଛନ୍ତି। ଦୁର୍ବୃତ୍ତଙ୍କ କାରନାମାକୁ ବିରୋଧୀ ମୌନ ଓ ପରୋକ୍ଷ ସମର୍ଥନ ଦେଉଛନ୍ତି ଯାହା ଚିନ୍ତାଜନକ।
ସଂସଦ ଧୁଆଁ କାଣ୍ଡ, ବିରୋଧୀଙ୍କ ହଙ୍ଗାମା, ଏ ସବୁ ଭିତରେ ସୀମା ଟପିଛନ୍ତି ବିରୋଧୀ । କରିଛନ୍ତି ଆଉ ଏକ ଲଜ୍ଜାଜନକ କାରନାମା। ସଂସଦ ଭବନ ବାହାରେ ପାହାର ଉପରେ ଉପରାଷ୍ଟ୍ରପତିଙ୍କ ନକଲ କରୁଥିଲେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ। ତମାମ ବିରୋଧୀ ସାଂସଦ ଉପସ୍ଥିତ ଥିଲେ। କଲ୍ୟାଣ ବାନାର୍ଜୀ ଅତ୍ୟନ୍ତ ଲଜ୍ଜାଜନକ ଭାବେ ଉପରାଷ୍ଟ୍ରପତିଙ୍କୁ ବିଦ୍ରୁପ କଲା ଭଳି ଆକ୍ଟିଂ କରୁଥିଲେ, ଆହୁରି ଦୁର୍ଭାଗ୍ୟଜନକ କଥା ହେଲା ଏଭଳି କାରନାମାକୁ ନିନ୍ଦା କରିବା ପରିବର୍ତ୍ତେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ମୋବାଇଲରେ ଏହାର ରେକର୍ଡିଂ କରୁଥିଲେ। ଉପରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଅସମ୍ମାନଜନକ ବ୍ୟବହାରକୁ ସବୁଆଡୁ କଡ଼ା ନିନ୍ଦା କରାଯାଉଛି। ବିରୋଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ୍ସରେ ଲେଖିଛନ୍ତି ଏହି ଭିଡିଓ ବୟାନ କରୁଛି ଅହଙ୍କାରୀ ମେଣ୍ଟର ଅସଲ ଚେହେରା। ସଂସଦର ମଜାକ ଉଡ଼ାଇବା, ସଂସଦର ଚେୟାରକୁ ଅପମାନ କରିବା ଦେଶ ଦେଖିଛି । ଏବେ ବିରୋଧୀଙ୍କ ଅବସ୍ଥା ହେଲା ଚୋର ମଚାଏ ସୋର। ଏବେ ଦେଶ ଆଗରେ କ୍ଷୀର ଓ ପାଣିର ସମ୍ପର୍କ ପଦାକୁ ଆସିଛି। ସେପଟେ ସଂସଦ ଭିତରେ କଲ୍ୟାଣ ବାନାର୍ଜୀ ଓ ରାହୁଲଙ୍କ ଆଚରଣକୁ କଡ଼ା ଭର୍ତ୍ସନା କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼।
ଏ ସବୁ ଭିତରେ ଦିଲ୍ଲୀରେ ଆରମ୍ଭ ହୋଇଛି ବିରୋଧୀ INDI ମେଣ୍ଟର ବୈଠକ। ବୈଠକରେ କଂଗ୍ରେସ, ଟିଏମସି, ଜେଡିୟୁ, ଆରଜେଡି, ଆପର ସବୁ ବଡ଼ ନେତା ସାମିଲ ହୋଇଛନ୍ତି। ବିରୋଧୀ ମେଣ୍ଟର ଏ ବୈଠକକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବିଜେପି ସଂସଦୀୟ ବୋର୍ଡ ବୈଠକରେ ମୋଦି କହିଛନ୍ତି ଏକାଠି ହୋଇଥିବା ଏ ଦଳ ଓ ନେତାମାନେ ବିଜେପିକୁ ହଟାଇବା, ଓ ସରକାର ଗଡ଼ାଇବାକୁ ଶକ୍ତି ଲଗାଉଛନ୍ତି କିନ୍ତୁ ଆମେ ଦେଶର ଭବିଷ୍ୟତ ଉଜ୍ଜ୍ବଳ କରିବା ଓ ଦେଶବାସୀଙ୍କ ମଙ୍ଗଳ ପାଇଁ କାମ କରିବାରେ ନିଜ ବଳ ଉପଯୋଗ କରୁଛୁ।