|
logo
Live

Argus News - ଦକ୍ଷିଣ ଆନ୍ଧ୍ରର ବାପଟଲା ନିକଟରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା

National

ଦକ୍ଷିଣ ଆନ୍ଧ୍ରର ବାପଟଲା ନିକଟରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା

Smruti Parija
Browse all articles by Smruti Parija
·2 years ago·2 min read
ଦକ୍ଷିଣ ଆନ୍ଧ୍ରର ବାପଟଲା ନିକଟରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା

ଅର୍ଗସ ବ୍ୟୁରୋ:  ଭୀଷଣ ବାତ୍ୟା । ଭୟଙ୍କର ପବନ । ଜଳ ପ୍ରଳୟ । ଦକ୍ଷିଣ ଭାରତର ଦୁଇ ରାଜ୍ୟ ଆନ୍ଧ୍ର ଓ ତାମିଲନାଡୁରେ ତାଣ୍ଡବ ଖେଳାଇଛି ମିଗଜୋମ୍ । ମଙ୍ଗଳବାର ଅପରାହ୍ନରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଛି । ଦକ୍ଷିଣ ଆନ୍ଧ୍ରପ୍ରଦେଶର ବାପଟଲା ନିକଟରେ ଲ୍ୟାଣ୍ଡଫଲ୍ କରିଛି ଭୀଷଣ ବାତ୍ୟା ମିଗଜୋମ୍ । ପ୍ରାୟ 3 ଘଣ୍ଟା ଧରି ଲାଗି ରହିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ପବନର ବେଗ ଥିଲା ସର୍ବାଧିକ 110 କିଲୋମିଟର। ଆନ୍ଧ୍ର ମଛଲିପଟନମ୍ ଓ ନେଲ୍ଲୋର ଅଞ୍ଚଳରେ ଭୟଙ୍କର ପବନ ସହ ପ୍ରବଳ ବର୍ଷା କରିଛି ଅନେକ କ୍ଷୟକ୍ଷତି । ବହୁ ଗଛ ଉପୁଡ଼ିଛି । ଭାଙ୍ଗି ଯାଇଛି ବିଦ୍ୟୁତ୍ ଖୁଣ୍ଟ। ବହୁ ସଂଖ୍ୟାରେ କଚ୍ଚା ଘର ମଧ୍ୟ ପ୍ରଭାବିତ ହୋଇଛି। ବହୁ ସ୍ଥାନରେ ରାସ୍ତାରେ ଗଛ ପଡ଼ି ୟାତାୟାତ ବନ୍ଦ ରହିଛି । ପବନ ଓ ବାତ୍ୟା ପାଇଁ ଆନ୍ଧ୍ରର ତିରୁପତି, ନେଲ୍ଲୋର, ପ୍ରକାଶମ, ପାପଟଲା, କ୍ରିଷ୍ଣା, ପଶ୍ଚିମ ଗୋଦାବରୀ, କୋନାସୀମା ଓ କାକିନାଡ଼ାରେ ରେଡ୍ ଆଲର୍ଟ ଜାରି କରାଯାଇଛି । 

ବାତ୍ୟା ପ୍ରଭାବରେ ତାମିଲନାଡୁରେ ହୋଇଛି ଜଳ ପ୍ରଳୟ । ଦୁଇ ଦିନ ହେଲା ଜାରି ରହିଛି ପ୍ରବଳ ବର୍ଷା। ଚେନ୍ନାଇ ସମେତ ଅନେକ ଅଞ୍ଚଳ ହୋଇଛି ଜଳମଗ୍ନ। ରାସ୍ତା ଘାଟରେ ପାଣିର ସୁଅ ଚାଲିଛି। ପାଲମ ଅଞ୍ଚଳରେ ରାସ୍ତା ଉପରେ ଅଣ୍ଟାଏ ପାଣି ଚାଲିଛି । ବର୍ଷା ପାଣିର ସୁଅରେ କାର୍ ସବୁ କାଗଜ ଡଙ୍ଗା ଭଳି ଭାସିବାର ଏ ଦୃଶ୍ୟ ତ ସମସ୍ତଙ୍କୁ ଭୟଭୀତ କରିଛି। ଗତ 48 ଘଣ୍ଟା ମଧ୍ୟରେ 400ରୁ 500 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । 

ଚେନ୍ନାଇର ବହୁ ଆପାର୍ଟମେଣ୍ଟର ତଳ ମହଲା ବୁଡ଼ି ଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି । ରାସ୍ତାରୁ ନେଇ ବସଷ୍ଟାଣ୍ଡ, ବିମାନ ବନ୍ଦର ସବୁ ସ୍ଥାନ ପୋଖରୀର ଭ୍ରମ ସୃଷ୍ଟି ହୋଇଛି। ବେଶ୍ କିଛି ଘଣ୍ଟା ପାଇଁ ଠପ୍ ହୋଇଗଲା ଚେନ୍ନାଇ ବିମାନ ବନ୍ଦର । 30ଟି ବିମାନ ଏବଂ 100ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି । ବର୍ଷା ବିତ୍ପାତରେ ଚେନ୍ନାଇରେ 12 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ, ଗଛ ଉପୁଡ଼ିବା ସହ ପ୍ରବଳ କ୍ଷୟକ୍ଷତି କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାତ୍ୟାର ପ୍ରଭାବ ଓଡ଼ିଶାର ଦକ୍ଷିଣ ଭାଗରେ ମଧ୍ୟ ପଡ଼ିଛି । ପବନ ସେମିତି କ୍ଷତି କରିନଥିଲେ ବି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। 24 ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଏଥିସହ ବୁଧବାର ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ବର୍ଷା ଲାଗିରହିବା ନେଇ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ସବୁଠାରୁ ବେଶୀ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଅମଳ ଋତୁରେ ବର୍ଷା ଫଳରେ ବର୍ଷକର ଶ୍ରମ ନଷ୍ଟ ହେଲେ ବଢ଼ିଯିବ ଚାଷୀଙ୍କ ଦୂର୍ଦ୍ଦଶା । ଜମିଠୁ ଖଳା ଯାଏଁ ବର୍ଷା ଦାଉରୁ ଫସଲ ରକ୍ଷା କରିବାକୁ ଦିନ ରାତି ହୋଇ ଲାଗିପଡିଛନ୍ତି ଚାଷୀ। 

ବର୍ଷା ଆଶଙ୍କାରେ ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ବୁଧବାର ମଧ୍ୟ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି । ମଙ୍ଗଳବାର ମଧ୍ୟରାତ୍ର ବେଳକୁ ବାତ୍ୟା ମେଗଜୋମ୍ ଦୁର୍ବଳ ହୋଇଯିବ । ଦୁର୍ବଳ ହୋଇ ଏହା କ୍ରମେ ଗଭୀର ଅବପାତରେ ପରିଣତ ହେବା ସହ ପ୍ରଭାବ କମିବ ବୋଲି କହିଛି ପାଣିପାଗ ବିଭାଗ ।

ସ୍ଥଳଭାଗ ଛୁଉଁଛି 'ମିଗଜୋମ୍'

Sponsored
ଦକ୍ଷିଣ ଆନ୍ଧ୍ରର ବାପଟଲା ନିକଟରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା | Argus English