୧୦ ଦିନ ପରେ ସାମ୍ନାକୁ ଆସିଲା ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଭିଡିଓ

ଅର୍ଗସ ବ୍ୟୁରୋ : ଅନେକ ଆଶା ଆଶଙ୍କା । ଲଗାତାର ଉଦ୍ୟମ । ଆଉ ଏବେ ଉତ୍ତରକାଶୀ ଟନେଲ୍ ଭୁଶୁଡ଼ିବା ଘଟଣାରେ ମିଳିଛି ବଡ଼ ଆଶ୍ବସ୍ତି । ୧୦ ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି । ଏଣ୍ଡୋସ୍କୋପି କ୍ୟାମେରା ସାହାଯ୍ୟରେ ଭିତରର ସମସ୍ତ ଚିତ୍ର ଦେଖିବାକୁ ମିଳିଛି । ଡ୍ରିଲ୍ କରି ଶ୍ରମିକଙ୍କ ପାଖକୁ ପହଞ୍ଚା ଯାଇଥିବା ୬ ଇଞ୍ଚ ବ୍ୟାସର ଏକ ପାଇପରେ ଏହି ଏଣ୍ଡୋସ୍କୋପି କ୍ୟାମେରା ଲାଗିଛି । ଏଥିସହ ଏହି ପାଇପ୍ ମାଧ୍ୟମରେ ଶ୍ରମିକଙ୍କ ପାଖକୁ ୱାକିଟକି ମଧ୍ୟ ପଠାଯାଇଛି । ଏଣ୍ଡୋସ୍କୋପି କ୍ୟାମେରା ଓ ୱାକିଟକି ସହାୟତାରେ ଶ୍ରମିକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛନ୍ତି । କ୍ୟାମେରାରେ ଦେଖି ୱାକିଟକିରେ କଥା ହେବାକୁ ଫସିଥିବା ଶ୍ରମିକଙ୍କୁ ଉଦ୍ଧାରକାରୀ ଦଳର ସଦସ୍ୟ କୁହାଯାଉଥିବା ଭିଡିଓରେ ଦେଖାଯାଇଛି । ଭିତରେ ସମସ୍ତେ ସୁରକ୍ଷିତ ଥିବା କୁହାଯାଇଛି । ଫସିଥିବା ଶ୍ରମିକଙ୍କ ପାଇଁ ଲାଇଫ୍ ଲାଇନ୍ ପାଲଟିଛି ଏହି ୬ ଇଞ୍ଚ ବ୍ୟାସର ପାଇପ୍ ଯାହା ମାଧ୍ୟମରେ ସୋମବାର ରାତିରେ ଶ୍ରମିକଙ୍କ ପାଖକୁ ଡାଲି ଓ ଖେଚୁଡ଼ି ପଠାଯାଇଥିଲା । ଦୀର୍ଘ ୯ ଦିନ ପରେ ରନ୍ଧାଖାଦ୍ୟ ଖାଇଥିଲେ ଶ୍ରମିକ ।
ଅଧିକ ପଢନ୍ତୁ : ସାମ୍ନାକୁ ଆସିଲା ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ କ୍ୟାମେରା ଫୁଟେଜ୍
ଶ୍ରମିକଙ୍କୁ ଉଦ୍ଧାର ପାଇଁ ୧୦ ଦିନ ହେଲା ଚାଲିଛି ଅଭିଯାନ । ଟନେଲର ତିନି ପାଖରୁ ଡ୍ରିଲ୍ କରି ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ କରାଯାଉଛି ପ୍ରୟାସ । ଯେଉଁଠି ଶ୍ରମିକମାନେ ଫସିଛନ୍ତି ତାର ବାମ, ଡାହଣ ଏବଂ ଉପର ପଟୁ ଡ୍ରିଲିଂ କରାଯିବ । ଏଥିପାଇଁ ରାତିଦିନ କାମ କରୁଛନ୍ତି ୫ଟି ଟିମ୍ । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଡିଆରଡିଓର ରୋବୋଟିକ୍ ଟିମ୍ ଏବଂ ଏକ ଇଣ୍ଟରନ୍ୟାସନାଲ୍ ଟନେଲ୍ ଏକ୍ସପର୍ଟ ଟିମ୍ । ସେପଟେ ବାୟୁସେନା ବିମାନରେ ବଡ଼ ବଡ଼ ମେସିନ୍ ଟନେଲ୍ ପାଖକୁ ନିଆଯାଉଛି । ବଡ଼ ଓସାରିଆ ପାଇପ୍ ମଧ୍ୟ ଅଣାଯାଉଛି । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ମଧ୍ୟ ଭାରତୀୟ ବାୟୁସେନାର ସୁପର ହର୍କୁଲେସ୍ ବିମାନ ଯୋଗେ ଉତ୍ତରକାଶୀକୁ ପାଇପ୍ ପଠାଯାଇଛି । ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଅଷ୍ଟ୍ରେଲିଆର ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଆର୍ନଲଡ ଡିକ୍ସ । ଖୁବ ଶୀଘ୍ର ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି ସେ ଅର୍ଗସ ନିୟୁଜକୁ ସୂଚନା ଦେଇଛନ୍ତି ।
📱 Get Argus News App
✨ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ସମସ୍ତ ଏଜେନ୍ସି ସହ ମିଶି କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାରଙ୍କ ବିଭିନ୍ନ ଟିମ୍ । ଲଗାତାର ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବୁଝୁଛନ୍ତି ପ୍ରଧାନମନ୍ତ୍ରୀ । ମଙ୍ଗଳବାର ବି ଉତ୍ତରା ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି ମୋଦି । ଫସିଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି ଜୋରଦାର ଚାଲିଛି ଉଦ୍ଧାର କାର୍ଯ୍ୟ । ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ସରକାରଙ୍କ ପ୍ରାଥମିକତା ।