ଭାରତରେ ଏକ ବିଚିତ୍ରବର୍ଣ୍ଣା ନଦୀ ହେଉଛି ଦେବୀକା

ଅର୍ଗସ ବ୍ୟୁରୋ: ଭାରତୀୟ ସଂସ୍କୃତିରେ ସବୁ ନଦୀ ଆସ୍ଥାର କେନ୍ଦ୍ର ହୋଇଥାନ୍ତି। ସବୁ ନଦୀମାନଙ୍କର କିଛି ବୈଶିଷ୍ଟ୍ୟ ରହିଛି। ସେହିଭଳି ଏକ ପବିତ୍ର ନଦୀ ହେଉଛି ଦେବୀକା। ଭାରତରେ ଏକ ବିଚିତ୍ରବର୍ଣ୍ଣା ନଦୀ ହେଉଛି ଦେବୀକା। ଆପଣ ଏହି ନଦୀ ବିଷୟରେ ଆଗରୁ ବୋଧେ ଶୁଣି ନ ଥିବେ। ତେବେ ଏହି ନଦୀକୁ ଗୁପ୍ତଗଙ୍ଗା ମଧ୍ୟ କୁହାଯାଏ। ଏହି ନଦୀ ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲ୍ଲାର ଶୁଦ୍ଧ ମହାଦେବ ମନ୍ଦିର ପାହାଡ଼ରୁ ବାହାରି ରାବୀ ଓ ଚେନାବର ମଧ୍ୟବର୍ତ୍ତୀ ଅଞ୍ଚଳ ମଧ୍ୟରେ ପ୍ରବାହିତ ହୋଇ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ରାବୀ ସହ ମିଶିଛି। ସପ୍ତମ ଶତାବ୍ଦୀରେ ନୀଳମୁନିଙ୍କ ଦ୍ବାରା ରଚିତ ନୀଳମତ ନାମକ ପୁରାଣରେ ଏହି ନଦୀର ଉଲ୍ଲେଖ ରହିଛି।
ସେହି ପୁରାଣ ବର୍ଣ୍ଣନା ଅନୁସାରେ ମଦ୍ର ଦେଶର ପ୍ରଜାମାନଙ୍କର ପ୍ରାର୍ଥନାରେ ଦେବ ଦେବ ମହାଦେବଙ୍କ ନିର୍ଦ୍ଦେଶରେ ସ୍ବୟଂ ଦେବୀ ପାର୍ବତୀ ପ୍ରଜାମାନଙ୍କ କଲ୍ୟାଣ ନିମିତ୍ତ ନଦୀ ରୂପେ ପ୍ରବାହିତ ହୋଇଥିଲେ। କିନ୍ତୁ ଏହାର ବୈଶିଷ୍ଟ୍ୟ ହେଉଛି, ଏହା ଉତ୍ପତ୍ତି ସ୍ଥଳରୁ ବାହାରି କିଛି ଦୂର ପ୍ରବାହିତ ହୋଇ ଲୁପ୍ତ ହୋଇଯାଏ। ପୁଣି କିଛି ବାଟ ପରେ ପ୍ରକଟ ହୋଇଥାଏ। ଏଣୁ ଏହାକୁ ଗୁପ୍ତଗଙ୍ଗା କୁହାଯାଏ। ଯେଉଁ ସ୍ଥାନରୁ ଏହି ନଦୀ ପ୍ରକଟ ହୋଇଛି ସେହି ସ୍ଥାନରେ ଏକ ଶିବ ମନ୍ଦିର ରହିଛି। ସମ୍ପୂର୍ଣ୍ଣ ସପ୍ତସିନ୍ଧୁ, ପଞ୍ଚନଦ, ବ୍ରହ୍ମାବର୍ତ୍ତ ମଧ୍ୟରେ ଏହା ପ୍ରବାହିତ ହୋଇ ପରିଶେଷରେ ଈରାବତୀ ସହିତ ସଙ୍ଗମ ହୋଇଛି।
ସ୍ବୟଂ ପାର୍ବତୀ ଜଳ ରୂପରେ ପ୍ରକଟ ହୋଇ ଉଦ୍ଧମପୁରକୁ ପବିତ୍ର କରିଥିବାରୁ ତାହାକୁ ଦେବନଗରୀ କୁହାଯାଏ। ଦେବିକା ହେଉଛନ୍ତି ଗଙ୍ଗା ନଦୀଙ୍କ ଜ୍ୟେଷ୍ଠ ଭଉଣୀ ରୂପେ ଖ୍ୟାତ। ସମସ୍ତେ ଗଙ୍ଗାଙ୍କୁ ଗଙ୍ଗା ମାତା ବୋଲି ସମ୍ବୋଧନ କରନ୍ତି। କାରଣ ମାତା ସଦୃଶ ସେ ମନୁଷ୍ୟର ସମସ୍ତ ପାପକୁ ନିଜ ବକ୍ଷରେ ଧାରଣ କରନ୍ତି। ଫଳରେ ଗଙ୍ଗାରେ ସ୍ନାନ କଲେ ମନୁଷ୍ୟକୁ ମୋକ୍ଷ ମିଳିଥାଏ। ଗଙ୍ଗା ଏ ସମସ୍ତ ପାପକୁ ଧାରଣ କଳରି ପତ୍ୟେକ ବର୍ଷ ଚୈତ୍ର ଚତୁର୍ଦ୍ଦଶୀ ତିଥିରେ ମା' ପାର୍ବତୀ ସ୍ବରୂପିଣୀ ନଦୀ ଦେବିକାରେ ସ୍ନାନ କରି ପାପବୋଝରୁ ମୁକ୍ତ ହୋଇଥାନ୍ତି। ଆହୁରି ମଧ୍ୟ ମାନ୍ୟତା ଅଛି ଯେ, ଦେବୀକା ନଦୀ ତଟରେ ଯେଉଁ ମୃତ ବ୍ୟକ୍ତିଙ୍କର ସଂସ୍କାର କରାଯାଏ। ତାଙ୍କର ଅସ୍ଥି ଆଉ ଗଙ୍ଗାରେ ବିସର୍ଜନ କରାଯାଏ ନାହିଁ। କେବଳ ଏତିକି ନୁହେଁ ଦେବୀକା ନଦୀରେ ବିସର୍ଜିତ ଅସ୍ଥି ଗୁଡ଼ିକ କିଛି ଦିନ ମଧ୍ୟରେ ହିଁ ବିଲୁପ୍ତ ହୋଇଯାଏ। ଯାହାର କିଛି ଚିହ୍ନବର୍ଣ୍ଣ ରୁହେନାହିଁ।