ଛତିଶଗଡ଼ ରାୟଗଡରୁ ଅନୁଗୁଳର ବହ୍ଲର ଯାଏଁ ହେବ ଅର୍ଥନୈତିକ କରିଡର
ଅର୍ଗସ ବ୍ୟୁରୋ: ଛତିଶଗଡର ରାୟଗଡ଼ ଠାରୁ ଝାରସୁଗୁଡ଼ା, ଦେବଗଡ଼ ଏବଂ ସମ୍ବଲପୁର ଦେଇ ତାଳଚେରର ବହ୍ଲର ପର୍ଯ୍ୟନ୍ତ ହେବ ୮ ଲେନ୍ ବିଶିଷ୍ଟ ଏନଏଚ୍ । ଏହି ଜାତୀୟ ରାଜପଥକୁ ୮ ଲେନ୍ ବିଶିଷ୍ଟ ଅର୍ଥନୈତିକ କରିଡରରେ ପରିଣତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାୟଗଡ଼ରୁ ତାଳଚେରର ବହ୍ଲର ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାୟ ୩୦୦ କିମି ରାଜପଥ ଇବ୍ ଉପତ୍ୟକା, ହୀରାକୁଦ ଅଞ୍ଚଳ ଏବଂ ତାଳଚେର- ଅନୁଗୋଳ ଭଳି ତିନି ପ୍ରମୁଖ ଶିଳ୍ପାଞ୍ଚଳକୁ ସଂଯୁକ୍ତ କରୁଛି ।
ତାପଜ ବିଦ୍ୟୁତ କେନ୍ଦ୍ର, ଲୁହା, ଆଲୁମିନିୟମ, କୋଇଲା ଖଣି ସହ ଅନେକ ଶିଳ୍ପ ଅନୁଷ୍ଠାନ ଏହି ରାଜପଥ ନିକଟରେ ରହିଛି । ଏହି ଅଞ୍ଚଳରେ ଦ୍ରୁତ ଶିଳ୍ପାୟନ ଏବଂ ଅର୍ଥନୈତିକ କାର୍ଯ୍ୟ ଅଭିବୃଦ୍ଧି କେବଳ ଓଡ଼ିଶା ନୁହେଁ ବରଂ ଭାରତର ଶିଳ୍ପାୟନ ମେରୁଦଣ୍ଡ ହୋଇଛି । କନକତୋରା, ଝାରସୁଗୁଡା ରୁ ତିଳେଇବଣି ଦେଇ ଯାଇଥିବା ଏନଏଚ – ୪୯ ଏବଂ ଦେବଗଡ଼-ରିଆମାଳ-ଗୋଡିବନ୍ଧ-ବହ୍ଲର ଦେଇ ଯାଇଥିବା ଏନଏଚ - ୫୩ ସମ୍ପ୍ରସାରଣ ହୋଇଛି । ବିଗତ ୮ ବର୍ଷରେ ଏହି ରାଜପଥର ସମ୍ପ୍ରସାରଣ ସହ ଅନେକ ଉନ୍ନତିକରଣର କାମ ହୋଇଅଛି । ଏବେ ବିଭିନ୍ନ ପ୍ୟାକେଜରେ ଅନେକ ବିକାଶମୂଳକ କାମ ସହିତ ଏନଏଚ-୪୯ ଏବଂ ଏନଏଚ-୫୩କୁ ୪ ଲେନ ବିଶିଷ୍ଟ ରାସ୍ତାରେ ସମ୍ପ୍ରସାରଣ କରାଯାଉଛି । ଏହି 4 ଲେନ କୁ 8 ଲେନ କରିବାକୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର।
ଇବ୍ ଉପତ୍ୟକା, ହୀରାକୁଦ, ଅନୁଗୋଳ–ତାଳଚେରରେ ଥିବା ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଜାତୀୟ ରାଜପଥକୁ ୮ ଲେନ ବିଶିଷ୍ଟ ଅର୍ଥନୈତକ କୋରିଡର ଭାବରେ ପରିଣତ କରିବା ପାଇଁ ବିଚାର କରିବାକୁ କେନ୍ଦ୍ରମନ୍ତ୍ରୀ ବିଭାଗୀୟ ସଡକ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ଏହି ସବୁ ଅଞ୍ଚଳରେ ବର୍ତ୍ତମାନ ଏବଂ ଆଗାମୀ ଶିଳ୍ପ ପାଇଁ ଏକ ଉନ୍ନତ ମାନର ଭିତ୍ତିଭୂମି ସୁନିଶ୍ଚିତ କରିବା ସହିତ ସମଗ୍ର ରାଜ୍ୟ ଏବଂ ଦେଶର ଅର୍ଥନୀତିକୁ ଗତି ଦେବାରେ ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ।
📱 Get Argus News App
✨ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀ ୧୬୦୦ କିଲୋମିଟରରୁ ୩୨୦୦ କିଲୋମିଟର ପର୍ଯ୍ୟନ୍ତ ଜାତୀୟ ରାଜପଥ କରି ସ୍ଵର୍ଣ୍ଣ ଚତୁର୍ଭୁଜ କରିଥିଲେ। ୟୁପିଏ ଶାସନ ଅର୍ଥାତ ୨୦୦୪-୦୫ ରୁ ୨୦୧୩-୧୪ ଭିତରେ ଜାତୀୟ ରାଜପଥ ନିର୍ମାଣ ବାବଦରେ କେନ୍ଦ୍ରରୁ ଓଡିଶାକୁ ମିଲିଥିଲା ୪ ହଜାର ୧୬୦ କୋଟି ଟଙ୍କାର ଅନୁଦାନ .. ଏହି ସମୟରେ ୟୁପିଏ ସରକାର ଓଡିଶାରେ ମାତ୍ର ୧୪୯୮ କିଲୋମିଟର ଜାତୀୟ ରାଜପଥ କରିଥିଲେ । କିନ୍ତୁ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ଵରେ ଜାତୀୟ ରାଜପଥ ପାଇଁ ଓଡିଶାକୁ ମିଳିଛି ହାତ ଖୋଲା ଅନୁଦାନ । ୨୦୧୪-୧୫ ରୁ ୨୦୨୨-୨୩ ଭିତରେ ମୋଦି ସରକାର ଓଡିଶାକୁ ଜାତୀୟ ରାଜପଥ ନିର୍ମାଣ ଲାଗି ଦେଇଛନ୍ତି ୨୮ ହଜାର ୨୫୧ କୋଟି ଟଙ୍କାର ଅନୁଦାନ। ମୋଦି ଶାସନ ସମୟରେ ଓଡିଶାରେ ତିଆରି ହୋଇଛି ୪ ହଜାର ୧୪୩ କିଲୋମିଟର ଜାତୀୟ ରାଜପଥ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର