ଘରୋଇ କ୍ଲିନିକକୁ ମାଲାମାଲ କରିବାକୁ ମିଛ ମେଡିକାଲ ଟେଷ୍ଟ, 100 କୋଟିର ଦୁର୍ନୀତି

ଅର୍ଗସ ବ୍ୟୁରୋ: ଦିଲ୍ଲୀର ଦିଲରେ ଦୁର୍ନୀତିର ଖଞ୍ଜର ମାରି ଜନତାଙ୍କୁ ଧୋକା ଦେଉଛନ୍ତି କେଜ୍ରିୱାଲ । ପ୍ରଥମ ନ୍ୟୁ ଲିକର ପଲିସି ବା ନୂଆ ମଦ ନୀତି ମାମଲାରେ କୋଟି କୋଟିର ଦୁର୍ନୀତି, ଏବେ ଦିଲ୍ଲୀବାସୀଙ୍କ ସ୍ବାସ୍ଥ୍ୟର ନିଲାମ। ଟଙ୍କାର ମୋହରେ ଦିଲ୍ଲୀ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ବି ଟେକି ଦେଇଛନ୍ତି ଦଲାଲଙ୍କ ହାତକୁ । ଯେଉଁ ମୋହଲ୍ଲା କ୍ଲିନିକର ଡିଣ୍ଡିମ ପିଟନ୍ତି ଦିଲ୍ଲୀ ସରକାର, ସେଠି ଯେ ଦୁର୍ନୀତିର ମହଲ ଛିଡ଼ା ହୋଇଛି ତାହା କାହାକୁ ଜଣା ନଥିଲା । ମୋହଲ୍ଲା କ୍ଲିନିକରେ ଫର୍ଜି ରେଡିଓଲୋଜି ଏବଂ ଫାଥୋଲୋଜି ଟେଷ୍ଟର ସାଂଘାତିକ ସତ ଏବେ ଦିଲ୍ଲୀ ସରକାରଙ୍କ ମୁଖା ଖୋଲିଛି । ପ୍ରାଇଭେଟ୍ କ୍ଲିନିକ ଗୁଡ଼ିକୁ ମାଲେ ମାଲ କରିବା ପାଇଁ ଫେକ୍ ଟେଷ୍ଟ ପାଇଁ ରେଫର୍ କରାଯାଉଥିଲା, ଏବଂ ଏଥିରେ 100 କୋଟିର ଦୁର୍ନୀତି ନେଇ ଅଭିଯୋଗ ହୋଇଛି । ଏନେଇ ଯେତେବେଳେ ଯାଞ୍ଚ କରାଗଲା, ରୋଗୀଙ୍କ ଫେକ୍ ରିପୋର୍ଟ ସ୍ପଷ୍ଟ କରିଦେଲା ଯେ, ଦୁର୍ନୀତି ନୁହେଁ ମହା ଦୁର୍ନୀତି ହୋଇଛି ।
11 ହଜାର 657 ରୋଗୀଙ୍କ ରିପୋର୍ଟରେ ମୋବାଇଲ ନମ୍ବର ସ୍ଥାନରେ କେବଳ 0 ଲେଖାହୋଇଛି
8 ହଜାର 251 ରୋଗୀଙ୍କ ରିପୋର୍ଟରେ ଖାଲି ପଡ଼ିଛି ମୋବାଇଲ ନମ୍ବର ଲେଖିବାକୁ କୁହାଯାଇଥିବା ସ୍ଥାନ
କିଛି ରୋଗୀଙ୍କ ରିପୋର୍ଟରେ ମୋବାଇଲ ନମ୍ବର ସ୍ଥାନରେ 1,2,3,4 ଲେଖା ହୋଇଛି
ସେହିପରି ଏହାଧିକ ରିପୋର୍ଟରେ ସମାନ ମୋବାଇଲ ନମ୍ବର ରହିଛି
ତେବେ ଏହି ଫେକ୍ ରିପୋର୍ଟରୁ ସ୍ପଷ୍ଟ ଯେ ନକଲି ଟେଷ୍ଟ ନାଁରେ କୋଟି କୋଟିର ହୋଇଛି ଲୁଟ୍। ଯାହାର ତଦନ୍ତ ପାଇଁ ସିବିଆଇକୁ ସୁପାରିଶ କରିଛନ୍ତି ଦିଲ୍ଲୀ ଏଲ.ଜି. ଭି.କେ. ସକ୍ସେନା। ସେହିପରି ମୋହଲ୍ଲା କ୍ଲିନିକରେ 9ଟାରୁ 1ଟା ଯାଏ ରୋଗୀଙ୍କ ଚିକିତ୍ସା ହେଉଥିଲା। ମାତ୍ର ୪ଘଣ୍ଟାରେ କିଭଳି 500ରୁ ଅଧିକ ରୋଗୀଙ୍କ ଚିକିତ୍ସା ହେଉଥିଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି। ସେପଟେ ପୂର୍ବରୁ ମୋହଲ୍ଲା କ୍ଲିନିକରେ ନକଲି ଔଷଧ ନେଇ ମଧ୍ୟ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ଦିଲ୍ଲୀ ଏଲଜି...
📱 Get Argus News App
✨ଏପଟେ ଅବକାରୀ ଦୁର୍ନୀତି ମାମଲାରେ ତଦନ୍ତ ପାଇଁ ଇଡି 3ଥର ସମନ ଦେଇଥିଲେ ମଧ୍ୟ ଥରୁଟିଏ ବି ହାଜର ହୋଇନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବିଭିନ୍ନ ବାହାନା କରି ଇଡି ସମନକୁ ଏଡାଇ ଚାଲିଛନ୍ତି ଦିଲ୍ଲୀ ସିଏମ। ଇଡି ସୁତ୍ରରୁ ଜଣାପଡ଼ିଛି ଯେ 4ର୍ଥ ଥର ପାଇଁ ସମନ କରିବାକୁ ପ୍ରସ୍ତୁତ ହେଉଛି ଇଡି। ଏପଟେ କେଜ୍ରିୱାଲଙ୍କୁ ଗିରଫ କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି । ଏହାସହ ଆଜି ଖୋଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଇଡିର ସମନ ବିଜେପିର ଏକ ରାଜନୈତିକ ଷଡଯନ୍ତ୍ର। ତାଙ୍କୁ ଜେଲରେ ପୂରାଇବାକୁ ଚକ୍ରାନ୍ତ ଚାଲିଥିବା କହିଛନ୍ତି ଅରବିନ୍ଦ।
ଦିଲ୍ଲୀ ସରକାର ଦୁର୍ନୀତିରେ ଉବୁଟୁବୁ ହେଉଥିବା ବେଳେ ଇଣ୍ଡି ମେଣ୍ଟର ଆଉ ଜଣେ ସହଯୋଗୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଇଡି ରାଡାରରେ। ଇଣ୍ଡି ମେଣ୍ଟର ସହୋଯୋଗୀମାନେ ଦୁର୍ନୀତିରେ ବୁଡି ରହିଥିବା ବେଳେ ଏହି ମେଣ୍ଟ ମଧ୍ୟ ଦୁର୍ନୀତିର ପାହାଡ଼ରେ ଛିଡ଼ା ହୋଇଥିବା କହିଛି ବିଜେପି ।
ଆହୁରି ପଢନ୍ତୁ ଭାରତ ଖବର...