ସ୍ବାହା ଉଚ୍ଚାରଣ କରିବାର ତାତ୍ପର୍ଯ୍ୟ

ଅର୍ଗସ ବ୍ୟୁରୋ : ହିନ୍ଦୁ ଧର୍ମରେ ସ୍ୱାହା ଶବ୍ଦଟି ସାଧାରଣତଃ ଅଗ୍ନି ରୀତିନୀତିରେ ଯେମିତିକି ଯଜ୍ଞ କିମ୍ବା ହୋମ ସମୟରେ ବ୍ୟବହାର କରାଯାଏ। ଯେତେବେଳେ ଅଗ୍ନିକୁଣ୍ଡରେ କିଛି ଅର୍ପଣ କରାଯାଏ ମନ୍ତ୍ରର ଶେଷରେ ସ୍ବାହା ପ୍ରୟୋଗ କରାଯାଇ ଦେବତାଙ୍କୁ ନିମନ୍ତ୍ରଣ କରାଯାଏ ବୋଲି ବିଶ୍ୱାସ କରାଯାଇଥାଏ। ତେବେ ଏହି ଶବ୍ଦର ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ପାର୍ଶ୍ଵ ରହିଛି। ଏହି ଶବ୍ଦଟି ନକାରାତ୍ମକ ଭାବେ ସେତେବେଳେ ବ୍ୟବହାର କରାଯାଏ,ଯେତେବେଳେ କୁହାଯାଏ ସବୁ କିଛି ସ୍ୱାହା ହେଇଗଲା,ଅର୍ଥାତ୍ ସବୁ କିଛି ଧ୍ଵଂସ ହୋଇଗଲା କିନ୍ତୁ ଆମେ ଆଜି ଜାଣିବା ସ୍ୱାହାକୁ ସକାରାତ୍ମକ ଭାବରେ କେଉଁଠି ଏବଂ କଣପାଇଁ ବ୍ୟବହାର କରାଯାଏ?
ଯେତେବେଳେ ଅଗ୍ନିଦେବଙ୍କୁ କିଛି ଅର୍ପଣ କରାଯାଏ ସେତେବେଳେ ସ୍ୱାହା ଶବ୍ଦର ବ୍ୟବହାର କରାଯାଏ କାରଣ ସ୍ବାହା ହେଉଛି ଅର୍ପଣ ଏବଂ ସମର୍ପଣ କରିବାର ଏକ ଉପାୟ। ଏହା ଦ୍ବାରା ଭକ୍ତର ପ୍ରାର୍ଥନା, ଉଦ୍ଦେଶ୍ୟ ଏବଂ ଭକ୍ତି ଈଶ୍ଵରଙ୍କ ପାଖରେ ପହଁଞ୍ଚିଥାଏ। ସ୍ବାହା ଶବ୍ଦଟି ଏକ ଶୁଦ୍ଧ ଏବଂ ପରିବର୍ତ୍ତନଶୀଳ ପ୍ରଭାବ ବୋଲି ବିବେଚନା କରାଯାଏ। ସନାତନ ଧର୍ମରେ ସ୍ବାହା ଶଦ୍ଦ ପ୍ରୟୋଗ ପଛରେ ଏକ ରହସ୍ୟ ରହିଛି। ସ୍ୱାହା ହେଉଛି ଏକ ଦେବୀଙ୍କ ନାମ। ସେ ରାଜା ଦକ୍ଷ ପ୍ରଜାପତିଙ୍କ ଝିଅ ଥିଲେ ଏବଂ ଅଗ୍ନିଦେବଙ୍କୁ ବିବାହ କରିଥିଲେ। ସ୍ୱାହା ଦେବୀଙ୍କୁ ଏକ ବରଦାନ ମିଳିଥିଲା କି ଯେତେବେଳେ ବି ମନୁଷ୍ୟ କୌଣସି ପଦାର୍ଥ ଅଗ୍ନିଦେଵଙ୍କ ସହାୟତାରେ ଯଜ୍ଞ କୁଣ୍ଡରେ ପହଞ୍ଚାଇବାକୁ ଚାହିଁବେ ତାହା ଦେବତାଙ୍କ ପାଖରେ ସେତେବେଳେ ପହଞ୍ଚିବ ଯେତେବେଳେ ସ୍ୱାହା ଶବ୍ଦର ପ୍ରୟୋଗ କରାଯିବ। ସେଥିପାଇଁ ମନ୍ତ୍ର ଉଚ୍ଚାରଣ ବେଳେ ଶେଷରେ ସ୍ୱାହା କୁହାଯାଇ ଅଗ୍ନିଦେବଙ୍କୁ ଅର୍ପଣ କରାଯାଏ।
📱 Get Argus News App
✨ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ