Tariff War: ଟ୍ରମ୍ପଙ୍କୁ ମୋଦିଙ୍କ କଡ଼ା ଜବାବ, ଟ୍ରମ୍ପଙ୍କ ନୀତିକୁ ସମାଲୋଚନା କରି ଏମିତି କହିଲେ ପିଏମ୍..

Key Points
ଟାରିଫ ଲାଗିବା ପରେ ରପ୍ତାନିକାରୀଙ୍କୁ କି ସହଯୋଗ ମିଳିବ ଆଜି ପିଏମଓରେ ହେବ ଆଲୋଚନା
ଟାରିଫ ପୂର୍ବରୁ ଟ୍ରମ୍ପଙ୍କୁ ଜବାବ ରଖିଲେ ମୋଦି
ସ୍ବଦେଶୀ ଜିନିଷକୁ ଆପଣାଇବାକୁ ଜନସାଧାରଣଙ୍କୁ କହିଲେ ପ୍ରଧାନମନ୍ତ୍ରୀ
ଆସନ୍ତାକାଲିଠାରୁ ଭାରତ ଉପରେ ଲାଗିବାକୁ ଯାଉଛି ଆମେରିକାର ୫୦% ଟାରିଫ୍। ଏନେଇ ଆଜି ପିଏମଓରେ ବସିବ ଗୁରୁତ୍ତ୍ବପୂର୍ଣ୍ଣ ବୈଠକ। ଏଥିରେ ଭାରତର ରପ୍ତାନିକାରୀମାନେ ସାମ୍ନା କରିବାକୁଥିବା ସମସ୍ୟା ବିଷୟରେ ଆଲୋଚନା କରାଯିବ। ପ୍ରଭାବିତ ହେବାକୁ ଥିବା ରପ୍ତାନିକାରୀଙ୍କୁ କିପରି ସହାୟତା ଦିଆଯାଇପାରିବ ତା ଉପରେ ମଧ୍ୟ ଆଲୋଚନା କରାଯିବ। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କର ବଡ଼ ବୟାନ ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଉପରେ କଡ଼ା ଜବାବ ରଖିଛନ୍ତି ମୋଦି। ଏହାଛଡ଼ା ଟ୍ରମ୍ପଙ୍କ ନୀତିକୁ ସ୍ବାର୍ଥପର ନୀତି କହିବା ସହ, ଯେକୌଣସି ଚାପ ପକାଇଲେ ବି ଭାରତ ମୁଣ୍ଡ ନୂଆଁଇବନି ବୋଲି କହିଛନ୍ତି ମୋଦି।
ଅହମଦାବାଦରେ ଆୟୋଜିତ ଏକ ସଭାରେ ମୋଦି ଟ୍ରମ୍ପଙ୍କ ଶୁଳ୍କ ଉପରେ ଏକ ଦୃଢ଼ ବୟାନ ରଖିଛନ୍ତି। ସେ କହିଛନ୍ତି ଯେ ଅର୍ଥନୈତିକ ସ୍ବାର୍ଥପର ନୀତିକୁ ସାରା ବିଶ୍ବ ଦେଖୁଛି। ଏଭଳି ପଦକ୍ଷେପ ବିରୋଧରେ ଭାତର ସବୁବେଳେ ଠିଆ ହେବ ଓ ନିଜର ନାଗରିକମାନଙ୍କର ସ୍ବାର୍ଥକୁ ପ୍ରାଥମିକତା ଦେବ। ଆମେରିକା ଯେତେ ଚାପ ପକାଇଲେ ମଧ୍ୟ ଭାରତ ନଇଁବ ନାହିଁ। ବରଂ ଏହାର ଜବାବ ଦେବ। ଏହାଛଡ଼ା ବିଦେଶରୁ ଆସୁଥିବା ସାମଗ୍ରୀ ବିକ୍ରିରୁ ଦୂରେଇ ରହି ସ୍ବଦେଶୀ ଜିନିଷକୁ ଆପଣାଇବାକୁ ଜନସାଧାରଣଙ୍କୁ କହିଛନ୍ତି ମୋଦି। ଆଗକୁ ନବରାତ୍ରୀ, ଦଶହରା, ଧନତେରାଶ, ଦୀପାବଳି ଆସୁଛି। ତେଣୁ ଦୋକାନ ସାମ୍ନାରେ ସ୍ବଦେଶି ସାମଗ୍ରୀ ମିଳୁଥିବା ଲେଖି ବଡ଼ ବଡ଼ ବୋର୍ଡ ଝୁଲାଇବାକୁ ଦୋକାନୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୋଦି।
ଏହାଛଡ଼ା ମୋଦି ସରକାରରେ କୌଣସି ଛୋଟ ଦୋକାନୀ, ଚାଷୀ, ଗୋପାଳକ ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ କ୍ଷତି ପହଞ୍ଚିବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋଦି। ପୂର୍ବରୁ ଲାଲକିଲ୍ଲାରୁ ସ୍ବାଧୀନତା ଦିବସରେ ଦେଇଥିବା ଭାଷଣରେ ମଧ୍ୟ ଏହି ସମାନ କଥା କହିଥିଲେ ପ୍ରଧାନମନ୍ତ୍ରୀ। ତେବେ ଋଷଠାରୁ ତେଲ କିଣୁଥିବା କାରଣରୁ ଭାରତ ଉପରେ ଅତିରିକ୍ତ ୨୫ପ୍ରତିଶତ ଟାରିଫ ଲଗାଇଛି ଆମେରିକା। ଫଳରେ ମୋଟ୍ ଶୁଳ୍କ ୫୦ପ୍ରତିଶତକୁ ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ ଦୁଇଦେଶ ମଧ୍ୟରେ ହେବାକୁ ଥିବା ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ମଧ୍ୟ ବାତିଲ ହୋଇଛି। ଅପରେସନ ସିନ୍ଦୂର ସମୟରେ ଯୁଦ୍ଧ ବନ୍ଦ କରାଇଥିବା କହି ବାରମ୍ବାର ଶ୍ରେୟ ନେବା ଏବଂ ଭାରତର ପ୍ରତିଷ୍ଠାକୁ ଗୌଣକରିବାକୁ ଚେଷ୍ଟା କରୁଛନ୍ତି ଟ୍ରମ୍ପ। ତାଙ୍କର କିନ୍ତୁ ଏହି ହୀନ ନୀତି ଆଗରେ ଭାରତ ସରକାର ମୁଣ୍ଡ ନୂଆଁଉନାହାନ୍ତି..